ମାଲକାନଗିରି, ୨୩ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ପଞ୍ଚାୟତରେ ଗୋଶାଳା ବା କାଞ୍ଜିଆ ହୁଦା ନଥିବାରୁ ବୁଲା ଗୋରୁଙ୍କ ଆତଙ୍କ ବଢିଯାଇଛି । ଫଳରେ କାଲିମେଳା ମୁଖ୍ୟ ଜାତୀୟ ରାଜପଥ ଏବେ ଗୋରୁଙ୍କ ଦଖଲରେ ରହିଛି ଏବଂ ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି ।
ସୂଚନା ଅନୁସାରେ, ଗତ ଏକ ବର୍ଷ ମଧ୍ୟରେ କାଲିମେଳା ଠାରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଗାଡି ଧକ୍କାରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଗୋରୁଙ୍କ ମୃତ୍ୟୁ ହୋଇସାରିଲାଣି । ସେହିପରି ଗୋରୁ ସହ ଧକ୍କା ହୋଇ ଏହି ସମୟ ମଧ୍ୟରେ ବହୁ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ରାତି ହେଲେ ରାସ୍ତାର ମଝିରେ ଗୋରୁ ଶୋଇ ରହୁଥିବାରୁ ଗାଡି ଚାଳକମାନେ ହଠାତ୍ ଦେଖି ନପାରି ଦୁର୍ଘଟଣାର ଶିକାର ହେଉଛନ୍ତି । ବିଶେଷ କରି ସନ୍ଧ୍ୟା ପରେ ଏବଂ ବର୍ଷା ସମୟରେ ପରିସ୍ଥିତି ଆହୁରି ସଙ୍ଗୀନ ହେଉଛି । ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, କାଲିମେଳା ପଞ୍ଚାୟତରେ ଗୋଶାଳା ନିର୍ମାଣ ପାଇଁ ବହୁ ଥର ଦାବି ହୋଇସାରିଛି । କିନ୍ତୁ, ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଫଳରେ ବୁଲା ଗୋରୁଙ୍କ ସମସ୍ୟା ଦିନକୁ ଦିନ ବଢିଚାଲିଛି । ଯାତ୍ରୀମାନେ କହିଛନ୍ତି, ରାସ୍ତାରେ ଗୋରୁ ଥିବାରୁ ଆମେ ଭୟରେ ଗାଡି ଚଳାଉଛୁ । ପ୍ରଶାସନ ତୁରନ୍ତ ଗୋଶାଳା କରି ବୁଲା ଗୋରୁଙ୍କୁ ସେଠାରେ ରଖିବାର ବ୍ୟବସ୍ଥା କରୁ । ନଚେତ ଆଗାମୀ ଦିନରେ ଆହୁରି ବଡ ଦୁର୍ଘଟଣା ଘଟିପାରେ ।
ଏ ସମ୍ପର୍କରେ କାଲିମେଳା ପଞ୍ଚାୟତ ସରପଞ୍ଚ ପୃଥ୍ୱୀରାଜ ମାଝୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଗୋଶାଳା ନିର୍ମାଣ ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଜାଗା ଚିହ୍ନଟ ହୋଇଯିବା ମାତ୍ରେ ଅତିଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ।





