ନୂଆପଡ଼ା, ୨୩ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ବିଜେପୁର ଛକ ଠାରୁ ମଡେଲ ଡିଗ୍ରୀ କଲେଜ ପର୍ଯ୍ୟନ୍ତ ଯାଇଥିବା ଖଡ଼ିଆଳ ଡିଷ୍ଟ୍ରିବ୍ୟୁଟାରୀ କେନାଲ ରାସ୍ତା ଏବେ ଅତ୍ୟନ୍ତ ଶୋଚନୀୟ ଓ ବିପଦପୂର୍ଣ୍ଣ ଅବସ୍ଥାରେ। ରାସ୍ତାର ବିଭିନ୍ନ ସ୍ଥାନରେ ୧ରୁ ୨ ଫୁଟ୍ ପର୍ଯ୍ୟନ୍ତ ଗଭୀର ଖାଲଖମା ସୃଷ୍ଟି ହୋଇଥିବାରୁ ଯାତାୟାତରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା ସହିତ ନିକଟସ୍ଥ ଏଫସିଆଇ ଗୋଦାମକୁ ପ୍ରତିଦିନ ଭାରୀ ଯାନବାହନ ଚଳାଚଳ କରୁଥିବାରୁ ରାସ୍ତାର ଅବସ୍ଥା ଦିନକୁ ଦିନ ଅଧିକ ଦୟନୀୟ ହେବାରେ ଲାଗିଛି। ବିଭାଗୀୟ ଅଧିକାରୀମାନେ ସମୟ ସମୟରେ କେନାଲ ପରିଦର୍ଶନରେ ଆସୁଥିଲେ ମଧ୍ୟ ରାସ୍ତାର ଏଭଳି ଦୁରାବସ୍ଥା ପ୍ରତି ଦୃଷ୍ଟି ନଦେବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକାଙ୍କ ସମେତ ସାଧାରଣ ଲୋକେ ଯାତାୟାତ କରୁଛନ୍ତି। ଖାଲଖମା ଯୋଗୁଁ ଦୁଇଚକିଆ ଯାନ ଚାଳକମାନେ ବିଶେଷ ଭାବେ ବିପଦରେ ପଡ଼ୁଥିବା ବେଳେ ଛୋଟବଡ଼ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଛି। ତେଣୁ ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବିଭାଗ ତୁରନ୍ତ ରାସ୍ତାର ମରାମତି ଓ ଆବଶ୍ୟକ ରକ୍ଷଣାବେକ୍ଷଣ କରିବାକୁ ଦାବି ହୋଇଛି। ଆଗାମୀ ଦିନରେ ରାସ୍ତାର ଦୁରାବସ୍ଥା ଯୋଗୁଁ କୌଣସି ବଡ଼ ଦୁର୍ଘଟଣା ଘଟିଲେ, ଏଥିପାଇଁ ସମ୍ପୃକ୍ତ କେନାଲ ବିଭାଗ ଦାୟୀ ରହିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।
ଏନେଇ ଏନଏସି ଇଓ ସ୍ୱାଧୀତା କେତନ ମହାରଣାଙ୍କୁ ଯୋଗାଯୋଗ କରାଯିବାରୁ ମରାମତି କରାଯିବ ବୋଲି ସୂଚନା ଦେଇଛନ୍ତି।





