ଝାରସୁଗୁଡା, ୫ ଜୁଲାଇ - ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ମୁଚବାହାଲ ମେଡିକାଲ ରୋଡ୍ ନିକଟରେ ଘଟିଥିବା ସୁରଜନ କୁମାର (୩୯) ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ନାବାଳକଙ୍କୁ ଆଇନ ଅନୁଯାୟୀ ଅଟକ ରଖାଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ପଥର ଓ ଲାଠିକୁ ମଧ୍ୟ ଜବତ କରାଯାଇଛି। ରବିବାର ଝାରସୁଗୁଡ଼ା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲ୍ଲା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଏହି ସୂଚନା ଦେଇଛନ୍ତି। ଏସପିଙ୍କ କହିବାନୁସାରେ, ଗତ ଜୁଲାଇ ୨ ତାରିଖ ରାତିରେ ସୁରଜନ କୁମାର ଓ ଅଭିଯୁକ୍ତମାନେ ଏକାଠି ବସି ମଦ୍ୟପାନ କରୁଥିଲେ। ସେହି ସମୟରେ ପୁରୁଣା ବ୍ୟକ୍ତିଗତ ଓ ପାରିବାରିକ ବିବାଦକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ ତୀବ୍ର ବଚସା ହୋଇଥିଲା। ପରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତମାନେ ପଥର ଓ ଲାଠିରେ ସୁରଜନଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ। ଘଟଣା ପରେ ସେମାନେ ଫେରାର ହୋଇଯାଇଥିଲେ।
ପରଦିନ ଅର୍ଥାତ୍ ଜୁଲାଇ ୩ ତାରିଖ ସକାଳେ ମୁଚବାହାଲ ମେଡିକାଲ ରୋଡ୍ ନିକଟରୁ ସୁରଜନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବରିଷ୍ଠ ପୋଲିସ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଥିଲା। ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩(୧) ଅନୁଯାୟୀ ମାମଲା ରୁଜୁ କରି ପୋଲିସ ସାକ୍ଷୀଙ୍କ ବୟାନ, ସିସିଟିଭି ଫୁଟେଜ୍ ଓ ଗୁଇନ୍ଦା ସୂଚନା ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଲଖନପୁର ବ୍ଲକ ଅନ୍ତର୍ଗତ ଅଏଁଲାଝରନ ଗ୍ରାମର ଅନିଲ କିଶାନ (୩୩) ଓ ବେଲପାହାଡ଼ କିଷାନପଡ଼ାର ଦିଲ୍ଲୀପ କିଶାନ ଓରଫ ଚୁନୁ (୨୬)। ଏହି ଘଟଣାରେ ଜଣେ ନାବାଳକଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ପଚରାଉଚରା ପରେ ବେଲପାହାଡ଼ ଥାନାରେ ଅଟକ ରଖାଯାଇଛି। ପୋଲିସ ଜବତ କରିଥିବା ପଥର, ଲାଠି ସମେତ ଅନ୍ୟାନ୍ୟ ସାମଗ୍ରୀକୁ ବୈଜ୍ଞାନିକ ପରୀକ୍ଷା ପାଇଁ ପଠାଯାଇଛି। ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ମାମଲାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି।






