ନୂଆପଡ଼ା,୨୩ ଅଗଷ୍ଟ (ହି.ସ.)- ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଖଡ଼ିଆଳ ମାରୱାଡ଼ି ମହିଳା ମଣ୍ଡଳ ପକ୍ଷରୁ ବୋଡ଼େନ ସ୍ଥିତ ସିଆର୍ପିଏଫ୍ କ୍ୟାମ୍ପରେ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହିଳା ମଣ୍ଡଳ ସଭାନେତ୍ରୀ ବବିତା ଅଗ୍ରୱାଲଙ୍କ ନେତୃତ୍ୱରେ ସଦସ୍ୟମାନେ କ୍ୟାମ୍ପରେ ପହଂଚି ଯବାନମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏହି ଅବସରରେ ମହିଳା ମଣ୍ଡଳର ସଦସ୍ୟମାନେ ଦେଶର ସୁରକ୍ଷା ପାଇଁ ଘର ଠାରୁ ଦୂରରେ ରହି ନିଷ୍ଠାର ସହ କର୍ତବ୍ୟ ସମ୍ପାଦନ କରୁଥିବା ଯବାନମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ମାନିତ କରିଥିଲେ। ଯବାନମାନଙ୍କ ସେବା, ତ୍ୟାଗ ଓ କର୍ତବ୍ୟନିଷ୍ଠା ପ୍ରତି କୃତଜ୍ଞତା ଜଣାଇ ଏହି ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯବାନ ଓ ସାଧାରଣ ଲୋକଙ୍କ ମଧ୍ୟରେ ଭାଇଚାରା, ଆତ୍ମୀୟତା ଓ ସମ୍ପର୍କର ବନ୍ଧନ ଆହୁରି ମଜବୁତ ହୋଇଥିଲା। ଖଡ଼ିଆଳ ମାରୱାଡ଼ି ମହିଳା ମଣ୍ଡଳ ପକ୍ଷରୁ ପ୍ରତିବର୍ଷ ଏଭଳି ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ଜଣାପଡ଼ିଛି।




