ଭୁବନେଶ୍ୱର, ୨୨ ଅଗଷ୍ଟ : ଓଡ଼ିଶାରେ କିଛି ବିରୋଧୀ ଦଳର ନେତାଙ୍କଠାରୁ ଆରମ୍ଭ କରି ଅନ୍ୟ ରାଜନୈତିକ ଦଳର ନେତାମାନେ ବିଭିନ୍ନ ପ୍ରକାର ମିଥ୍ୟା ତଥ୍ୟ ଦେଇ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଏମ୍ଏମ୍ଡିଆର୍ ୧୯୫୭ ମସିହାରୁ ଯାହା ଚାଲିଆସିଛି, ସେଥିରେ କିଛି ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସଂସଦରେ ବିଲ୍ ଆଗତ କରାଯାଇଥିଲା, ଯାହା ଗୃହିତ ହେଇସାରିଛି ଏବଂ ମହାମହିମ ରାଷ୍ଟ୍ରପତି ଦସ୍ତଖତ କରିବା ପରେ ବହୁଶୀଘ୍ର ତାହା ଆଇନ୍ ରେ କାର୍ଯ୍ୟକାରୀ ହେବ । ଖଣିଜ ସମ୍ପଦର ସଦୁପଯୋଗ ସହ ଭାଲ୍ୟୁ ଆଡେଡ୍ କରିବା ପାଇଁ ଏହି ଚମତ୍କାର ଆଇନ୍ ଅଣାଯାଇଛି । ପୂର୍ବରୁ ଖଣି କର ବ୍ୟବସ୍ଥାରେ ଯେଉଁ ବ୍ୟବସ୍ଥା ଥିଲା ତାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଏହି ଆଇନ ଅଣାଯ।।ଇଛି । ଏହାଦ୍ୱାରା ଓଡ଼ିଶା ସମେତ ସମସ୍ତ ଖଣିଜ ସମ୍ପଦ ପୂର୍ଣ୍ଣ ରାଜ୍ୟ ଏବଂ ସର୍ବୋପରି ଦେଶ ଲାଭବାନ ହେବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିଂରଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ଶ୍ରୀ ତ୍ରିିପାଠୀ କହିଛନ୍ତି ଯେ, ବିରୋଧୀ ଓଡ଼ିଶାକୁ ମିଳୁଥିବା ଲାଭ ବିଷୟରେ ନକହି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତକର ତଥ୍ୟ ଦେଉଛନ୍ତି । ୨୦୧୪ ମସିହାରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟିର ସରକାର ଆସିବା ପୂର୍ବରୁ ଖଣି ଟିକସ ବାବଦରେ ଓଡ଼ିଶା ସରକାରଙ୍କୁ ପାଖାପାଖି ୫,୦୦୦ କୋଟି ଟଙ୍କା ମିଳୁଥିଲା । କିନ୍ତୁ ୨୦୧୫ରେ ଏମ୍ଏମ୍ଡିଆର୍ ଆଇନ୍ ସଂଶୋଧନ ହେବା ପରେ ଖଣି ନିଲାମ ଏବଂ ଅନ୍ୟାନ୍ୟ ସୂତ୍ରରୁ ଓଡ଼ିଶା ସରକାର ପାଖାପାଖି ୧୦ ଗୁଣା ଅର୍ଥାତ୍ ୫୦,୦୦୦ କୋଟି ଟଙ୍କା ରାଜସ୍ୱ ଆକାରରେ ପାଉଛନ୍ତି । ୨୦୧୪-୧୫ରେ ଯେତେବେଳେ ଏହି ଆଇନ୍ରେ ସଂଶୋଧନ ହୋଇଥିଲା, ସେତେବେଳେ ତତ୍କାଳୀନ ଓଡ଼ିଶା ସରକାର ଏହାକୁ ଘୋର ବିରୋଧ କରିଥଲେ । ଓଡ଼ିଶାର କ୍ଷତି ହେଇଯିବ ବୋଲି ପ୍ରଚାର କରିଥିଲେ । କିନ୍ତୁ ଫଳ ଓଡ଼ିଶା ସପକ୍ଷରେ ଗଲା ।
ଅପରପକ୍ଷେ ବିଜେଡି ସରକାର ଶାସନ ବ୍ୟବସ୍ଥାରେ ଥିଲାବେଳେ ଓଡ଼ିଶାରେ ସବୁଠାରୁ ମହାଦୁର୍ନୀତି ଖଣି ଦୁର୍ନୀତି ହେଇଥିଲା । ଆଉ ଆଜି କ’ଣ ପାଇଁ ତତ୍କଳୀନ ମୁଖ୍ୟମନ୍ତ୍ରୀ ଭଦ୍ରଲୋକି ଦେଖେଇ ହେଉଛନ୍ତି ? ଶାହା କମିଶନର ରିପୋର୍ଟ ଅନୁଯାୟୀ ଖଣି ଦୁର୍ନୀତି ଯୋଗୁ ଓଡ଼ିଶା ଯେଉଁ ବ୍ୟାପକ କ୍ଷତିଗ୍ରସ୍ତ ହେଲା ସେଥିପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ନେତୃତ୍ୱାଧୀନ ସରକାର କ’ଣ କରିଛନ୍ତି ତାର ଉତର ଦିଅନ୍ତୁ? ପୂର୍ବରୁ ରାଜ୍ୟମାନେ କର ବାବଦରେ ଯେଉଁ ପ୍ରକାର ସିଧାସଳଖ ୯୦ ପ୍ରତିଶତ ଖଣିଜ ସମ୍ପଦରୁ ପାଇପାରୁଥିଲେ, ଏବେ ମଧ୍ୟ ସେହି ପ୍ରକାର ପାଇପାରିବେ । ଅନ୍ୟାନ୍ୟ ହିସାବକୁ ଦେଖିଲେ ପାଖାପାଖି ୯୬ ପ୍ରତିଶତ ଅର୍ଥ ରାଜ୍ୟମାନେ ପାଇବେ ।
ଖଣିଜ ପଦାର୍ଥ ଥିବା ଜମିର ବାର୍ଷିକ ମୂଲ୍ୟ ଉପରେ ୨୦ ପ୍ରତିଶତ ଟିକସ ଆଦାୟ ପାଇଁ ତତ୍କାଳୀନ ବିଜେଡି ସରକାର ୨୦୦୪ ମସିହାରେ ଓରିସେଡ୍ ଆକ୍ଟ ଆଣିଥିଲେ, ୨୦୦୫ ଡିସେମ୍ବର ମାସ ୫ ତାରିଖରେ ଓଡ଼ିଶା ହାଇକୋର୍ଟ ତାକୁ ରଦ୍ଦ କରିଦେଲେ, ସେମାନେ ତା’ ପରବର୍ତୀ ଅବସ୍ଥାରେ ପାଖାପାଖି ୧୮ ବର୍ଷ ଧରି କ୍ଷମତାରେ ରହିଲେ ଏବଂ କେବଳ କେସ୍?କୁ ଗଡ଼େଇ ଚାଲିଲେ ମାତ୍ର ଜିତିବାକୁ ଉଦ୍ୟମ କଲେ ନାହିଁ । ଆଜି ମଧ୍ୟ ସେହି କେସ୍ ଚାଲିଛି । ସେ ସମୟରେ କେନ୍ଦ୍ରରେ କଂଗ୍ରେସର ସରକାର ଥିଲା ଏବଂ କେନ୍ଦ୍ର ସରକାରଙ୍କ ଏକ ପିଏସ୍?ୟୁ ଏହି କେସ୍ କରିଥିଲା । ଆଜି ସେଇ କଂଗ୍ରେସ ସହ ମିଶି ବିଜେଡି ଯେଉଁ ପ୍ରକାର ନାଟକ କରୁଛି, ଯାହାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ ।
ଏମ୍ଏମ୍ଡିଆର୍ ଆଇନ୍ ଦ୍ୱାରା ଓଡ଼ିଶାର କୌଣସି କ୍ଷତି ହେବ ନାହିଁ ବରଂ ଲାଭ ହେବ । ଓଡ଼ିଶାରେ ନିବେଶ ଆସିବ । ଖଣିକୁ ଆୟୁଦ୍ଧ କରି ଗଢ଼ିଉଠୁଥିବା ବିଭିନ୍ନ ଶିଳ୍ପ ମଧ୍ୟ ଓଡ଼ିଶାରେ ବିକଶିତ ହେବ, ଯାହାର ଲାଭ ଓଡ଼ିଶାର ଯୁବକମାନେ ପାଇବେ ଓଡ଼ିଶା ସରକାର ମଧ୍ୟ ବିଭିନ୍ନ ପ୍ରକାର କର ଆକାରରେ ଲାଭବାନ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ ।





