ଭୁବନେଶ୍ୱର, ୧୮ ଜୁନ୍ - ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକ ପ୍ରକାଶନରେ ଦେଖାଦେଇଥିବା ଯାବତୀୟ ତ୍ରୁଟି ଓ ବିଭ୍ରାଟରେ ସଂପୃକ୍ତ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ରୁଜୁ ସହ ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ସଠିକ୍ ତ୍ରୁଟିମୁକ୍ତ ପୁସ୍ତକ ଯୋଗାଇ ଦେବାପାଇଁ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ଦାବି କରିଛି।
ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ କୁହାଯାଇଛି ଯେ ପାଠ୍ୟପୁସ୍ତକରେ ମୁଖ୍ୟତଃ ଭାଷା ସାହିତ୍ୟ ବହିରେ ବ୍ୟାପକ ତ୍ରୁଟି, ଭାଷା ସଂଯୋଜନାରେ ମାଳ ମାଳ ଭୁଲ୍ ଯୋଗୁଁ ପ୍ରାଥମିକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଯାବତୀୟ ବିଭ୍ରାଟ ସୃଷ୍ଟି ହୋଇଛି ଓ ଶିକ୍ଷାଦାନ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଏହି ପୁସ୍ତକ ପ୍ରକାଶନରେ ୫୦ରୁ ୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଭଳି ଓଡିଆ ଭାଷା ବହି ପ୍ରକାଶନରେ ତ୍ରୁଟି ଯୋଗୁଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦଳ ଦାବି କରିଛି ।ସେହିପରିଏହି ପୁସ୍ତକ ପ୍ରକାଶନ ଦାୟିତ୍ୱରେ ଥିବା ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ରୁଜୁକରାଯାଉ। ପୁସ୍ତକ ପ୍ରକାଶନ ଦାୟିତ୍ୱରେ ଥିବା ଅଧିକାରୀ ଓ ସଂସ୍ଥାଙ୍କ ଠାରୁ ତୁରନ୍ତ ପ୍ରକାଶନ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ଆଦାୟ କରାଯାଉ । ନଚେତ୍ ମୁଖ୍ୟମନ୍ତ୍ରୀ ନିଜ ପକେଟରୁ ଏହି ଅର୍ଥ ଭରଣା କରନ୍ତୁ ।
ସେହିପରି ଯୋଗାଇ ଦିଆଯାଇଥିବା ତ୍ରୁଟିପୂର୍ଣ୍ଣ ସମସ୍ତ ପୁସ୍ତକ ପ୍ରତ୍ୟାହାର କରାଯାଇ ପୁସ୍ତକ ଗୁଡିକର ପୁନଃସଂସ୍କରଣ କରାଯାଇ ତୁରନ୍ତ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଇ ଦିଆଯାଉ । ଏହି ବିଭ୍ରାଟ ପାଇଁ ଶିକ୍ଷାମନ୍ତ୍ରୀ ସଂପୂର୍ଣ୍ଣ ଦାୟୀ । ତେଣୁ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ।
ଓଡିଆ ଭାଷା ସାହିତ୍ୟ ଉପରେ ଅଜ୍ଞ, ଅନଭିଜ୍ଞ ଶିକ୍ଷକମାନଙ୍କୁ ଏହି ପୁସ୍ତକ ପ୍ରକାଶନ ଦାୟିତ୍ୱରୁ ଦୂରେଇ ରଖୁ, ବିଜ୍ଞ, ଜ୍ଞାନୀଗୁଣୀ ସଂପନ୍ନ ଶିକ୍ଷକମାନଙ୍କୁ ଦାୟିତ୍ୱ ଦେବାକୁ ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି ।





