ଝାରସୁଗୁଡ଼ା : ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ ଏ ଆଇ ମାଧ୍ୟମରେ ସୋସିଆଲ ମିଡିଆରେ ବଦନାମ ଓ ସାଇବର ନିର୍ଯାତନା ଦିଆଯାଉଥିବା ନେଇ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ବିଜୁ ମହିଳା ଜନତା ଦଳ(ବିଏମଜେଡ଼ି) ପକ୍ଷରୁ ଝାରସୁଗୁଡ଼ା ଟାଉନ ଥାନାରେ ଏକ ଲିଖିତ ଏଫ୍ଆଇଆର୍ ରବିବାର ଦାୟର କରାଯାଇଛି। ବିଜୁ ଜନତା ଦଳର ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ବାହୁକଙ୍କ ନେତୃତ୍ୱରେ ଏହି ଦାବିପତ୍ର ଟାଉନ ପୋଲିସକୁ ପ୍ରଦାନ କରାଯାଇଛି।
ଅଭିଯୋଗ ଅନୁଯାୟୀ, କିଛି ଅସାମାଜିକ ବ୍ୟକ୍ତି ନିଜ ଫେସବୁକ୍ ପେଜ୍ ମାଧ୍ୟମରେ ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଚରିତ୍ର ସଂହାର କରିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ବ୍ୟବହାର କରି ବିଭିନ୍ନ ବିକୃତ ଫଟୋ ଓ ମିଥ୍ୟା ଭିଡିଓ ପ୍ରସ୍ତୁତ କରି ସେଗୁଡ଼ିକୁ ଭାଇରାଲ କରୁଛନ୍ତି। ଏହାସହ ଅଶ୍ଳୀଳ ଏବଂ ଆପତ୍ତି ଜନକ ମନ୍ତବ୍ୟ ଦେଇ ତାଙ୍କ ସମ୍ମାନହାନି କରାଯାଉଛି। ଏହି କାର୍ଯ୍ୟ କେବଳ ଜଣେ ନାରୀର ମର୍ଯ୍ୟାଦା ଉପରେ ଆଘାତ ନୁହେଁ, ବରଂ ଡିଜିଟାଲ ପ୍ଲାଟଫର୍ମରେ ମହିଳାମାନଙ୍କ ସୁରକ୍ଷା ପ୍ରତି ଏକ ବଡ଼ ବିପଦ ବୋଲି ମହିଳା ମୋର୍ଚ୍ଚା ପ୍ରକାଶ କରିଛି। ଏହି ଅପପ୍ରଚାରରେ ସୁଜିତ ସାହୁ, ଜେଠୁ ନେଟି, ପୁରୁଷୋତ୍ତମ ଦାସଙ୍କ ସମେତ ମୋର ନଜର ଝାରସୁଗୁଡ଼ା ଥି ନାମକ ଫେସବୁକ୍ ପେଜ୍ ଏବଂ ଏନକେ ଏନକେ ଭଳି କିଛି ନକଲି ଆକାଉଣ୍ଟ ସାମିଲ ଥିବା ନେଇ ପତ୍ରରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ପ୍ରମାଣ ସ୍ୱରୂପ ପୋଲିସକୁ ସମସ୍ତ ସ୍କ୍ରିନସଟ୍ ଓ ଭିଡିଓ ଥିବା ଏକ ପେନ୍ ଡ୍ରାଇଭ୍ ମଧ୍ୟ ହସ୍ତାନ୍ତର କରାଯାଇଛି।
ମହିଳା ବିଜେଡି ପକ୍ଷରୁ ଏହି ଘଟଣାରେ ସାମିଲ ଥିବା ସମସ୍ତ ଦୋଷୀଙ୍କ ବିରୋଧରେ ତୁରନ୍ତ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଏହି ଅଭିଯୋଗ ପତ୍ରର ଏକକିତା ନକଲ ଝାରସୁଗୁଡ଼ା ଏସପି ଏବଂ ସମ୍ବଲପୁର ଡିଆଇଜିଙ୍କୁ ମଧ୍ୟ ଅବଗତି ଓ ଆବଶ୍ୟକ ପଦକ୍ଷେପ ପାଇଁ ପ୍ରେରଣ କରାଯାଇଛି। ଏହି ଏଫଆଇଆର ଦେବା ସମୟରେ ଜିଲ୍ଲା ବିଜେଡି ମହିଳା ସଭାପତି ଜୟନ୍ତୀ ବାହୁକ, କାର୍ଯ୍ୟକାରୀ କମିଟି ସଦସ୍ୟା ବି. ନାଗେଶ୍ୱରୀ, କାଉନସିଲର ନବନୀତ କୌର, ଟାଉନ ମହିଳା ବିଜୁ ଜନତା ଦଳର ଜ୍ୟୋତି ସୁନାର, ରୁବିନା ଖାନ, ଦୀପା ନାୟକ, ପଦ୍ମିନୀ ସିଂ, ଶୈଳ ମଲ୍ଲିକ, କଳ୍ପନା ସିଂ, କିରଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ |






