ଲୋକସଭା ପରେ ରାଜ୍ୟସଭାରେ ଆଜି ପଶ୍ଚିମ ଏସିଆ ସଂକଟ ଉପରେ ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ପଷ୍ଟ କରିଛନ୍ତି, ଇରାନ ସହ ଆମେରିକା-ଇସ୍ରାଏଲର ଯୁଦ୍ଧ ଜାରି ରହିଲେ, କେବଳ ଖରାପ ପରିଣାମ ସାମନାକୁ ଆସିବ । ଆଗାମୀ ସମୟ ଦେଶର ସବୁଠୁ ବଡ଼ ପରୀକ୍ଷା ନେବାକୁ ଯାଉଛି । ଏହାର ମୁକାବିଲା ପାଇଁ ସବୁ ରାଜ୍ୟଙ୍କ ସହଯୋଗ ଜରୁରୀ । ସମସ୍ତଙ୍କୁ ଟିମ୍ ଇଣ୍ଡିଆ ପରି ଏକ ମନ ହୋଇ କାମ କରିବାକୁ ହେବ । ହର୍ମୁଜ ପ୍ରଣାଳୀରେ ଜାହାଜ ଏବଂ ଭାରତୀୟ କର୍ମଚାରୀମାନେ ଫସି ରହିଛନ୍ତି । ଗ୍ୟାସ୍, ତେଲ ଓ ସାର ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ପ୍ରଭାବିତ ହୋଇଛି । ପ୍ରତ୍ୟେକ ମାଲବାହୀ ଜାହାଜ ଯେପରି ସୁରକ୍ଷିତ ଭାବେ ଭାରତରେ ପହଞ୍ଚିପାରିବ, ସେଥିପାଇଁ ପ୍ରୟାସ କରାଯାଉଛି । ଭାରତ ଏହାର ପ୍ରସ୍ତୁତିକୁ ଆହୁରି ତ୍ୱରାନ୍ୱିତ କରୁଛି । ଯେକୌଣସି ସଙ୍କଟ ଆମର ସାହସ ଏବଂ ପ୍ରୟାସର ପରୀକ୍ଷା କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

